ସମଗ୍ର ଦେଶରେ ଓଡ଼ିଶାକୁ ଏକ ନମ୍ବର କ୍ରୀଡ଼ା ରାଜ୍ୟରେ ପରିଣତ କରିବାକୁ ରାଜ୍ୟ ସରକାର ପୂର୍ବରୁ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିବା ବେଳେ ଶୁକ୍ରବାର ଠାରୁ କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଉ ପାଦେ ଆଗେଇବ। କାରଣ ଶୁକ୍ରବାର ଠାରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଆରମ୍ଭ ହେବାକୁ ଯାଉଛି ହାଇ-ପର୍ଫରମାନ୍ସ ସେଣ୍ଟର ଫର କ୍ଲାଇମ୍ବିଂର ଟ୍ରେନିଂ। କଳିଙ୍ଗ ଷ୍ଟାଡିୟମ ପରିସରରେ ଥିବା ଦେଶର ପ୍ରଥମ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ଏହା ଚାଲିବ। କ୍ରୀଡ଼ାବିତ୍ଙ୍କୁ କ୍ଲାଇମ୍ବିଂ କ୍ଷେତ୍ରରେ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏଠାରେ କିଛିଦିନ ପୂର୍ବେ ହାଇ-ପର୍ଫରମାନ୍ସ ସେଣ୍ଟରର ଉଦଘାଟନ ହୋଇଥିଲା। ଯାହା ଫଳରେ ରଜ୍ୟ ତଥା ରାଜ୍ୟ ବାହାରରୁ କ୍ରୀଡାବିତ୍ ଏଠାକୁ ଆସି ଅତ୍ୟାଧୁନିକ ଟ୍ରେନିଂ ପାଇପାରିବେ। ଯେଉଁ ଲକ୍ଷ୍ୟ ନେଇ ଏହା ପରିକଳ୍ପନା କରାଯାଇଥିଲା ତାହା ସାକାର ହେବାକୁ ଯାଉଛି।
ଶୁକ୍ରବାର ଠାରୁ ଆରମ୍ଭ ହେଉଥିବା ଟ୍ରେନିଂ କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ବର୍ଗର ଅନେକ ପ୍ରତିଯୋଗୀ ଆସି ଏଠାରେ ଟ୍ରେନିଂ ନେବେ। ଏହାସହ ଭାରତୀୟ କ୍ଲାଇମ୍ବିଂ ଟିମ୍ ମଧ୍ୟ ଏଠାରେ ଆସି ଟ୍ରେନିଂ ନେବାର କାର୍ଯ୍ୟକ୍ରମ ରହିଛି। ସକାଳ ଓ ସନ୍ଧ୍ୟା ସମୟରେ ଟ୍ରେନିଂ ଦିଆଯିବ। ସୋମବାରରୁ ଶୁକ୍ରବାର ଯାଏଁ ସକାଳ 6ଟାରୁ 9ଟା ପର୍ଯ୍ୟନ୍ତ ଓ ଅପରାହ୍ନ 4ଟାରୁ 7ଟା ପର୍ଯ୍ୟନ୍ତ ଟ୍ରେନିଂ ଚାଲିବ ଏବଂ ଶନିବାର ଓ ରବିବାର, ସକାଳ 7ଟାରୁ 10ଟା ଏବଂ ଅପରାହ୍ନ 4ଟରୁ ରାତି 8 ପର୍ଯ୍ୟନ୍ତ ଟ୍ରେନିଂ ଦିଆଯିବ। ଏଥିପାଇଁ ଜୁଲାଇ 14 ତାରିଖରୁ ରେଜିଷ୍ଟ୍ରେସନ ଆରମ୍ଭ ହୋଇସାରିଛି। ଅଶଂଗ୍ରହଣକାରୀଙ୍କ ପାଇଁ ରେଜିଷ୍ଟ୍ରେସନ ଫିସ୍ ମଧ୍ୟ ଛାଡ କରାଯାଇଛି।
ଭାରତୀୟ ମାଉଣ୍ଟେନରିଂ ଫେଡେରେଶନ(ଆଇଏମଏଫ) ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ମିଳିତ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ସ୍ପୋର୍ଟ୍ସ କ୍ଲାଇମ୍ବିଂ କମ୍ପ୍ଲେକ୍ସରେ ହାଇ-ପର୍ଫରମାନ୍ସ ସେଣ୍ଟର ଫର କ୍ଲାଇମ୍ବିଂର ଟ୍ରେନିଂ କାର୍ଯ୍ୟକ୍ରମ କରାଯାଉଛି। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପେସାଦାର ଟ୍ରେନରଙ୍କୁ ଅଣାଯାଇ ଏଠାରେ ଟ୍ରେନିଂ ଦିଆଯିବ। ସ୍ପୋଟର୍ସ କ୍ଲାଇମ୍ବିଂ ଏବେ ଏକ ଅଲିମ୍ପିକ କ୍ରୀଡ଼ା ହୋଇ ସାରିଛି। ତେଣୁ ଏହାକୁ ନଜରରେ ରଖି ଆଇଏମଏଫ ତତ୍ପରତା ପ୍ରକାଶ କରିଛି। ଆଗାମୀ ଦିନରେ ଅନ୍ତର୍ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ଏକ ଭାରତୀୟ ଦଳ ଗଠନ କରିବା ଆଇଏମଏଫର ଲକ୍ଷ୍ୟ ରହିଛି।