କରୋନା ଭାଇରସ ସଂକ୍ରମଣକୁ ନେଇ ବିଶ୍ୱରେ ଅଧିକାଂଶ ଦେଶ ଲକ୍ଡାଉନ୍ କରିଛନ୍ତି। କରୋନା ଭାଇରସ ବ୍ୟାପିବାରେ ଲକ୍ଡାଉନ୍ ବେଶ ଫଳପ୍ରଦ ହେଉଛି। ହେଲେ ଅନ୍ୟ ଦିଗରେ ଏହାର କିଛି ଖରାପ ପ୍ରଭାବ ମଧ୍ୟ ପଡିବ ବୋଲି କୁହାଯାଉଛି। ଜାତିସଙ୍ଘ ଜନସଂଖ୍ୟା କୋଷ(ୟୁଏନ୍ଏପ୍ପିଏ)ର ମତ ଅନୁଯାୟୀ ଲକ୍ଡାଉନ ଫଳରେ ୭୦ଲକ୍ଷ ଅନିଚ୍ଛାକୃତ ଗର୍ଭଧାରଣ ସମ୍ଭବ ହୋଇପାରେ ବୋଲି କୁହାଯାଉଛି। ୟୁଏନ୍ଏପ୍ପିଏ କହିଛି ଲକ୍ଡାଉନ ସମୟରେ ନିମ୍ନ ଓ ମଧ୍ୟମ ଆୟ କରୁଥିବା ଦେଶ ଗର୍ଭନିରୋଧକ ବ୍ୟବହାର କରିବାରୁ ବଞ୍ଚିତ ହେବେ। ଫଳରେ ୭୦ଲକ୍ଷ ଅନିଚ୍ଛାକୃତ ଗର୍ଭଧାରଣ ସମ୍ଭବ ହେବ ବୋଲି ଅନୁମାନ କରାଯାଉଛି। ଏହାପରେ ବିଶ୍ୱରେ ହଠାତ୍ ଜନସଂଖ୍ୟା ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି। ୟୁଏନ୍ଏପ୍ପିଏ କହିଛି ଲକ୍ଡାଉନ ପାଇଁ ଏବେ କିଛି ଦେଶରେ ଆଧୁନିକ ଗର୍ଭ ନିରୋଧକର ଅଭାବ ଦେଖାଦେଲାଣି। ତେଣୁ ଏହା ସୂଚାଉଛି ଆଗକୁ ଅନିଚ୍ଛାକୃତ ଗର୍ଭଧାରଣର ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ୟୁଏନ୍ଏପ୍ପିଏ ଆହୁରି ମଧ୍ୟ କହିଛି ଲକ୍ଡାଉନ ସମୟରେ ମହିଳାମାନଙ୍କ ଉପରେ ଘରୋଇ ହିଂସା ବୃଦ୍ଧି ହେବାର ସମ୍ଭାବନା ମଧ୍ୟ ରହିଛି। ଫଳରେ ଆଗାମୀ ଦିନ ମାନଙ୍କରେ ମହିଳାମାନଙ୍କ ସ୍ୱାସ୍ଥ୍ୟ ଉପରେ ଏହା ପ୍ରଭାବ ପଡ଼ିପାରେ।