କରୋନା ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛି। କୌଣସି ଗୋଟିଏ ଦେଶ ବି କରୋନା କବଳରୁ ବର୍ତ୍ତି ପାରିନାହିଁ। ତ୍ରାହୀ ତ୍ରାହୀ ଡାକୁଛି ସମଗ୍ର ବିଶ୍ୱ। ଏହାରି ଭିତରେ ସୁପର ପାୱାର ଆମେରିକାର ସ୍ଥିତି ସବୁଠୁ ସଙ୍ଗୀନ ହୋଇ ପଡ଼ିଛି। ଏଠାରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ। ବର୍ତ୍ତମାନ ସୁଦ୍ଧା ଆମେରିକାରେ କରୋନା ସଂକ୍ରମଣରେ 4 ଲକ୍ଷରୁ ଅଧିକ ଲୋକ ଶିକାର ହୋଇଛନ୍ତି।। ଏହାସହ ମୃତ୍ୟୁ ସଂଖ୍ୟା 13 ହଜାର ଛୁଇଁଛି। ଅମେରିକାରେ ବର୍ତ୍ତମାନ 10 ହଜାରରୁ ଅଧିକ ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଅତ୍ୟନ୍ତ ଗମ୍ଭୀର ରହିଛି। ସେପଟେ ଆମେରିକା ପରେ ସ୍ପେନ୍ ଓ ଇଟାଲୀରେ ସ୍ଥିତି ଅଣଆୟତ୍ତ ହୋଇଯାଇଛି। ସ୍ପେନରେ ଏପର୍ଯ୍ୟନ୍ତ 1 ଲକ୍ଷ 42 ହାଜର ଲୋକ ଆକ୍ରାନ୍ତ ଥିବା ବେଳେ ଏଠାରେ 14 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ସେପଟେ ଇଟାଲୀରେ ଏପର୍ଯ୍ୟନ୍ତ 1 ଲକ୍ଷ 36 ହଜାର ଲୋକ ଆକ୍ରାନ୍ତ ଥିବା ବେଳେ 17 ହଜାରରୁ ଅଧିକ ଲୋକଙ୍କ କରୋନା ଯୋଗୁ ଜୀବନ ଯାଇସାରିଲାଣି। ଏପର୍ଯ୍ୟନ୍ତ ସୁଦ୍ଧା ବିଶ୍ୱରେ 14 ଲକ୍ଷ 32 ହଜାର ଲୋକ ସଂକ୍ରମିତ ହୋଇଥିବା ବେଳେ 82 ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।