ଗାଡ଼ି ଚାଳକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ଆଗାମୀ ୩ମାସ ଯାଏ ରାଜ୍ୟରେ ନୂଆ ଟ୍ରାଫିକ ନିୟମକୁ କୋହଳ କରାଯାଇଛି। ଟ୍ରାଫିକ ନିୟମ କୋହଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ଦେଶରେ ସଂଶୋଧିତ ନୂଆ ମୋଟର ଯାନ ଆକ୍ଟ ଲାଗୁ ହେବା ପରେ ଓଡ଼ିଶାରେ ମଧ୍ୟ ଏହା କଡ଼ାକଡ଼ି ଭାବେ ଲାଗୁ କରାଯାଇଥିଲା। ଏଥିରେ ଗାଡ଼ିର କୈାଣସି ଜରୁରୀ କାଗଜପତ୍ର ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ଓ ନୋ ପଲ୍ୟୁସନ ହେଲମେଟ ଆଦି ବାଧ୍ୟତାମୂଲକ ଥିଲା। ଏହା ସହ ଏହି ସବୁ କାଗଜପତ୍ର କିମ୍ବା ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡ଼ିଚାଳକଙ୍କ ଉପରେ ମୋଟା ଅଙ୍କର ଜୋରିମାନା ମଧ୍ୟ ଲଗାଯାଉଥିଲା। ଯାହାକୁ ନେଇ ସାରା ରାଜ୍ୟରେ ଲୋକଙ୍କ ମନରେ ଅସେନ୍ତାଷ ପ୍ରକାଶ ପାଇଥିଲା। ସାମାନ୍ୟ ଟ୍ରାଫିକ ନିୟମ ଉଲଂଘନ କଲେ ଅତ୍ୟଧିକ ଜୋରିମାନା ପଡ଼ୁଥିବାରୁ ଲୋକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଜୋରିମାନାକୁ ଡରି ଲୋକେ ଘରୁ ଗାଡି କାଢିବେ କି ନାହିଁ ଅନେକ ଥର ଚିନ୍ତା କରୁଥିଲେ। କେବଳ ଏତିକି ନୁହେଁ ଅନେକ ଅଟୋ ରାଜଧାନୀ ରାଜରାସ୍ତାରୁ ଧୀରେ ଧୀରେ ଗାଏବ ହୋଇଯାଇଥିଲା। ସ୍ଥିତି ଏମିତି ଆସିଥିଲା ପୋଲିସ-ପବ୍ଲିକ ମୁହାଁମୁହିଁ ମଧ୍ୟ ହେବାକୁ ପଛାଇନଥିଲେ। ବିଭିନ୍ନ ମହଲରୁ ଦାବି ଆସୁଥିଲା ଯେ, ଯଦି ଲୋକଙ୍କୁ କାଗଡପତ୍ର ଯୋଗାଡ଼ ପାଇଁ କିଛି ଦିନ ସମୟ ଦିଆଯାଆନ୍ତା ଦେବେ ଏହା ଉପରେ ଆଉ କେହି କିଛି ପ୍ରଶ୍ନ ଉଠାନ୍ତେ ନାହିଁ। ନୂଆ ଟ୍ରାଫିକ୍ ନିୟମକୁ ନେଇ ବିଭିନ୍ନ ମହଲରୁ ନକାରାତ୍ମକ ବାର୍ତ୍ତା ଆସିବା ପରେ ଆସନ୍ତା ୩ମାସ ଯାଏଁ ଏହାକୁ କୋହଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା ୩ମାସ ଯାଏଁ ନୂଆ ମୋଟରଯାନ ଆଇନକୁ କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଲୋକଙ୍କ ପ୍ରତି କଠୋର ମନଭାବ ପୋଷଣ ନକରିବାକୁ ପୋଲିସ ଓ ଟ୍ରାଫିକ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। କଠୋର ନ ହୋଇ ଲୋକଙ୍କୁ ଟ୍ରାଫିକ ନିୟମ ସର୍ମ୍ପକରେ ବୁଝାଇବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲିବାକୁ ପରିବହନ ବିଭାଗକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଟ୍ରାଫିକ ନିୟମ ମାନିବାକୁ ମଧ୍ୟ ଲୋକଙ୍କୁ ସେ ନିବେଦନ କରିଛନ୍ତି। ଦେଶରେ ସେପ୍ଟେମ୍ବର ପହିଲାରୁ ନୂଆ ମୋଟର ଯାନ ନିୟମ ଲାଗୁ ହେବା ପରେ ଓଡ଼ିଶାରେ ଅଧିକ କଡ଼ାକଡ଼ି ଭାବେ ଏହି ନିୟମ ପାଳନ କରାଯାଉଥିଲା। ଏମିତିକି ଜୋରିମାନା ଆଦାୟରେ ସାରା ଭାରତରେ ଓଡ଼ିଶା ପ୍ରଥମ ସ୍ଥାନ ଅଧିକାର କରିଥିଲା।