ଜାନୁଆରୀ 26ରୁ 25 ଟଙ୍କା ପେଟ୍ରୋଲ ଦର କମିବ। ଏଭଳି ଘୋଷଣା କରିଛଛନ୍ତି ଝାଡ଼ଖଣ୍ଡ ସରକାର। ଝାଡ଼ଖଣ୍ଡ ସରକାର ପେଟ୍ରୋଲ୍ର ଲିଟର ପିଛା ୨୫ ଟଙ୍କା ରିହାତି ଦେବେ ବୋଲି ଘୋଷଣା କରିଛନ୍ତି। ତେବେ ଏହି ରିହାତି କେବଳ ମୋଟରସାଇକଲ୍ ଓ ସ୍କୁଟର ଚାଳକଙ୍କୁ ମିଳିବ। ଝାଡ଼ଖଣ୍ଡରେ ଲୋକମାନେ ୨୦୨୨ ଜାନୁଆରି ୨୬ ଠାରୁ ଏହି ନୂତନ ଦରରେ ପେଟ୍ରୋଲ୍ କିଣିପାରିବେ ବୋଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କହିଛନ୍ତି। ଝାଡ଼ଖଣ୍ଡ ସରକାର ଦୁଇ ବର୍ଷ ପୂର୍ଣ୍ଣ କରିବା ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସୋରେନ ଏହି ଘୋଷଣା କରିଛନ୍ତି। ରାଞ୍ଚିରେ ପେଟ୍ରୋଲ୍ ଦାମ୍ ଆଜି ୧୦୨ ଟଙ୍କା ୭୭ ପଇସା ଥିବା ବେଳେ ଡିଜେଲ୍ ଦାମ୍ ୯୧ ଟଙ୍କା ୫୬ ପଇସା ରହିଛି। ଯଦି ଆସନ୍ତା ଜାନୁଆରି ୨୬ ପର୍ଯ୍ୟନ୍ତ ଦରରେ କୌଣସି ପରିବର୍ତ୍ତନ ହେବ ନାହିଁ ତେବେ ସେହିଦିନ ଠାରୁ ରାଞ୍ଚିରେ ସ୍କୁଟର ଓ ବାଇକ୍ ଚାଳକମାନେ ୭୭ ଟଙ୍କା ୭୭ ପଇସାରେ ପେଟ୍ରୋଲ୍ କିଣିବାର ସୁଯୋଗ ପାଇବେ। ତାହା ହେବ ଦେଶରେ ପେଟ୍ରୋଲ୍ର ସବୁଠୁ ଶସ୍ତା ଦାମ୍। ଆଜି ମୁମ୍ବାଇରେ ପେଟ୍ରୋଲ୍ର ଲିଟର ପିଛା ଦାମ୍ ୧୦୯ ଟଙ୍କା ୯୮ ପଇସା, କୋଲକାତାରେ ୧୦୪ ଟଙ୍କା ୬୭ ପଇସା, ଚେନ୍ନାଇରେ ୧୦୧ ଟଙ୍କା ୬୭ ପଇସା ଓ ଦିଲ୍ଲୀରେ ୯୫ ଟଙ୍କା ୪୧ ପଇସା ରହିଛି। ଭୁବନେଶ୍ବରରେ ପେଟ୍ରୋଲ୍ ଦାମ୍ ୧୦୧ ଟଙ୍କା ୮୧ ପଇସା ଥିବା ବେଳେ ଡିଜେଲ୍ ଦାମ୍ ୯୧ ଟଙ୍କା ୬୨ ପଇସା ରହିଛି। ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦାମ ଆକାଶଛୁଆଁ ସ୍ତରରେ ପହଞ୍ଚିବା ପରେ ସାରା ଦେଶରେ ପେଟ୍ରୋଲ୍ ଦାମ୍ ୧୦୦ ଉପରେ ରହିଛି। ତାହାକୁ ନେଇ ଜନ ଅସନ୍ତୋଷ ସୃଷ୍ଟି ହେବାରୁ କେନ୍ଦ୍ର ସରକାର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ୫ ଟଙ୍କା ହ୍ରାସ କରିବା ପରେ ଏବେ ପେଟ୍ରୋଲ୍ ଦାମ୍ ୧୦୦ ଟଙ୍କା ପାଖାପାଖି ସ୍ତରରେ ରହିଛି।