ବିଜେପିର ଅପରେସନ୍ ଲୋଟସ୍। କର୍ଣ୍ଣାଟକରେ ସଫଳ ହେବା ପରେ ମଧ୍ୟପ୍ରଦେଶରେ କଂଗ୍ରେସକୁ ହଟାଇ ଶାସନ କରିବାକୁ ଜୋରଦାର ଉଦ୍ୟମ ଚଲାଇଛି ବିଜେପି। ବିଜେପିର ଏହି ଅପରେସନ୍ ଲୋଟସରେ ସାଥ ଦେଉଛନ୍ତି କଂଗ୍ରେସର ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଉପରେ ଅନେକ କଂଗ୍ରେସ ବିଧାୟକ ଖପ୍ପା ଅଛନ୍ତି। ଦୀର୍ଘଦିନ ଧରି ମଧ୍ୟପ୍ରଦେଶରେ କମଲନାଥ ସରକାର ଅନେକ ଦଳୀୟ ସମସ୍ୟା ଦେଇ ଗତି କରୁଥିବା ବେଳେ ଏବେ ସରକାର ଭାଙ୍ଗିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଟିମ୍ର 20 ଜଣ ବିଧାୟକ ଏବେ ବାଙ୍ଗାଲୋରରେ ଡେରା ପକାଇଛନ୍ତି। ସରକାରଙ୍କୁ ଅସୁବିଧାରେ ପକାଇ ନିଜ ଦାବି ପୂରଣ ପାଇଁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏକ ଚାଲ୍ ଚଲାଇଥିବା କଥା କୁହାଯାଉଥିବା ବେଳେ ଜ୍ୟୋତିରାଦିତ୍ୟଙ୍କ ଚାଲରେ ଫସିଯାଇଛନ୍ତି କମଲନାଥ।୨୩୦ଟି ଆସନ ଥିବା ମଧ୍ୟପ୍ରଦେଶ ବିଧାନସଭାରେ ୧୧୪ ଜଣ କଂଗ୍ରେସ ସଦସ୍ୟ ଥିବା ବେଳେ ୧୦୯ ଜଣ ବିଜେପି ବିଧାୟକ ଅଛନ୍ତି । କଂଗ୍ରେସର ୧୧୪ ଜଣ ମଧ୍ୟରୁ ୧୮ ଜଣ ବିରୋଧୀ ବିଧାୟକ ବାଙ୍ଗାଲୋର ପଳାଇବା ପରେ ରାଜ୍ୟରେ କଂଗ୍ରେସ ସରକାର ଏବେ ଦୋହଲି ଯାଇଛି ।