ବାତ୍ୟା ଅମ୍ଫାନ୍ ଧୀରେ ଧୀରେ ତାର ଶକ୍ତି ବଢାଇବା ଆରମ୍ଭ କରିଛି। ପାରାଦୀପ ଠାରୁ ଦକ୍ଷିଣକୁ ୧୦୩୦ କିଲୋମିଟର ଦୂରରେ ଥିବା ଅମ୍ଫାନ୍ ଏବେ ଆଗକୁ ଘଣ୍ଟା ପ୍ରତି ପାଖାପାଖି ୫ କିଲୋମିଟର ବେଗରେ ବଢ଼ୁଛି ଓ ବଳଗୋଟାଇବା ଆରମ୍ଭ କରିଛି।ଭାରତର ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି ଯେ ଏହା ୧୭ ତାରିଖ ପର୍ଯ୍ୟନ୍ତ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ ଓ ପରେ ଦିଗ ପରିବର୍ତନ କରି ଉତ୍ତର- ଉତ୍ତର ପୂର୍ବ ଦିଗକୁ ଅର୍ଥାତ୍ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଡ଼କୁ ମାଡ଼ିବ। କେବଳ ସେତିକି ନୁହେଁ, ‘ଅମ୍ଫାନ୍’ ଆସନ୍ତାକାଲି ଭୟଙ୍କର ବାତ୍ୟା ରୂପ ନେବ ଓ ପରବର୍ତୀ କିଛି ଘଣ୍ଟା ମଧ୍ୟରେ ୧୮ ତାରିଖ ବେଳକୁ ଅତି ଭୟଙ୍କର ବାତ୍ୟା ରୂପ ଧାରଣ କରିସାରିଥିବ। କିନ୍ତୁ ୧୯ ତାରିଖ ବେଳକୁ ଏହା ଆହୁରି ଭୀଷଣ ରୂପ ନେବ, ଯେତେବେଳେ କି ବାତ୍ୟାର କେନ୍ଦ୍ରସ୍ଥଳୀରେ ପବନର ବେଗ ୧୭୦ କିଲୋମିଟର ଥିବ। ଏହି ପ୍ରକ୍ରିୟା ୧୯ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ରହିବ। ପରେ ଏହାର ପ୍ରକୋପ ସାମାନ୍ୟ କମିପାରେ। ଯଦି ୨୦ ତାରିଖ ଅପରାହ୍ନ ୪ଟାରେ ସ୍ଥଳଭାଗ ଛୁଏଁ, ତେବେ ସେ ସମୟରେ ବାତ୍ୟାସ୍ଥଳୀରେ ପବନର ବେଗ ୧୪୫ କିଲୋମିଟର ଘଣ୍ଟା ପ୍ରତି ରହିଥିବ। ଏହା ଦୀଘାଠାରୁ କିଛି ଦୂରରେ ପଶ୍ଚିମବଙ୍ଗ ଛୁଇଁପାରେ ବୋଲି ଅନୁମାନ କରାଯାଉଛି।