ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଟ୍ରାଫିକ୍ ନିୟମ ଉଲଘଂନକାରୀଙ୍କ ନିଦ ହଜାଇଦେଇଛି। ଲୋକଙ୍କ ଭିତରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଅନେକ ଲୋକେ ଘରୁ ଗାଡି କାଢିବାକୁ ଭୟ କରୁଛନ୍ତି। ଅଟୋ ଡ୍ରାଇଭରଙ୍କ ଠାରୁ ଆରମ୍ଭ କରି ଟ୍ରକ ଡ୍ରାଇଭର ପର୍ଯ୍ୟନ୍ତ ସମସ୍ତେ ମୋଟା ଅଙ୍କର ଜୋରିମାନା ଦେଇସାରିଲେଣି। ରାଜଧାନୀରେ ଜଣେ ଅଟୋ ଚାଳକଙ୍କ ଠାରୁ ୫୨ହଜାରର ଫାଇନ କଟାଯାଇଥିବା ବେଳେ ସମ୍ବଲପୁର ଠାରେ ଟ୍ରକ ଚାଳକଙ୍କ ଠାରୁ ୬ ଲକ୍ଷର ଟଙ୍କାର ଜୋରିମାନା ଆଦାୟ ହୋଇଛି। ହେଲେ ଏବେ ଏମିତି ଖବର ଆପଣଙ୍କୁ ଜଣାଇବୁ ଯାହା ଆପଙ୍କୁ ନିଶ୍ଚିତ ଚକିତ କରିବ। ସୋମବାର କଟକ ବାରଙ୍ଗ ଅଂଚଳରେ ଏକ ସ୍କୁଟିକୁ ୧ ଲକ୍ଷର ଫାଇନ ପଡିଛି। କଟକ ବାରଙ୍ଗ ଅଂଚଳରେ ଆରଟିଓ ଓ ପୋଲିସ ପକ୍ଷରୁ ଚେକିଂ ଚାଲିଥିଲା। ଏହି ସମୟରେ ଏକ ହୋଣ୍ଡା ଆକ୍ଟିଭା ସ୍କୁଟି ଧରାପଡିଥିଲା। ତେବେ ଏହି ସ୍କୁଟିର ନମ୍ବର ପ୍ଲେଟ ନଥିଲା। ଏହାସହ ଆରସି ମଧ୍ୟ ନଥିଲା। କୁହା ଯାଉଛି ଯେଉଁ ଡିଲର ଠାରୁ ଗାଡ଼ି ଚାଳକ ଜଣକ ଗାଡ଼ି କିଣିଥିଲେ ସେହି ଡିଲର ବିନା ନମ୍ବର ପ୍ଲେଟରେ ଗାଡି ବାକ୍ରି କରିଥିଲେ। ଏହା ଜାଣିବା ପରେ ସଂପୃକ୍ତ ଗାଡ଼ିକୁ ଏକ ଲକ୍ଷର ଜୋରିମାନା ଲାଗିଛି। ତେବେ ଜୋରିମାନା ନ ଦେଇପାରିବାରୁ ସ୍କୁଟିକୁ ଜବତ କରାଯାଇଛି। ଗାଡ଼ିର ଦାମ 50 ହଜାର ଟଙ୍କା ହୋଇଥିବା ବେଳେ ଲକ୍ଷେ ଟଙ୍କା ଫାଇନ ଯୋଗୁ ଗାଡି ଚାଳକ ଫାଇନ ଦେବା ପରିବର୍ତ୍ତେ ଗାଡ଼ି ଛାଡ଼ି ଚାଲିଯିବାକୁ ଉଚିତ ମନେକରିଛି।